Unknown

 

 

 

 

 

 

 

 

 

ଉଦ୍ଧବ ଚଉତିଶା

ଭକ୍ତକବି ଦୀନକୃଷ୍ଣ ଦାସ

 

(ଏହା ପୂର୍ବରୁ ଆମେ ଭୂପତି ପଣ୍ଡିତଙ୍କ ‘ଉଦ୍ଧବ ଚଉତିଶା’ ସମ୍ପର୍କରେ ଆଲୋଚନା କରିଛୁ । ଓଡ଼ିଆ ସାହିତ୍ୟରେ ଅନ୍ୟ କେତୋଟି ଚଉତିଶା ବି ଏହି ନାମରେ ରହିଛି । କବିଙ୍କର ଉକ୍ତ ଚଉତିଶାଟି ଭୂପତି ପଣ୍ଡିତଙ୍କ ଚଉତିଶା ଭଳି ପାଣ୍ଡିତ୍ୟପୂର୍ଣ୍ଣ ଓ ଉଚ୍ଚକୋଟୀର । ରାଧାକୃଷ୍ଣ ପରସ୍ପରଠାରୁ ଦୂରରେ ରହିଥିବାରୁ ବିରହ ଭାବନାରେ ଦୁହେଁ ଜର୍ଜରିତ ହୋଇପଡ଼ିଛନ୍ତି । ରସିକ ଶେଖର କୃଷ୍ଣ ଓ ବିରହିଣୀ ଗୋପାଙ୍ଗନାମାନେ ଉଦ୍ଧବଙ୍କ ଆଗରେ ନିଜ ନିଜର ବେଦନା ଭାବକୁ ପ୍ରକାଶ କରିଛନ୍ତି । କୃଷ୍ଣଙ୍କଠାରୁ ଉଦ୍ଧବଙ୍କ ମାଧ୍ୟମରେ ସନ୍ଦେଶ ପାଇବା ପରେ ଗୋପୀମାନେ ପୁଣି ନିଜର ଖେଦ ପ୍ରକାଶ କରି ନିଜ ମନୋଭାବ ଉଦ୍ଧବଙ୍କୁ କହିଛନ୍ତି- ଚଉତିଶାଟିରେ ଗୋପୀମାନଙ୍କ ବିରହୀ ମନର ଭାବ ଓ ବେଦନା ଫୁଟି ଉଠିଛି ।)

(ରାଗ – କଉଶିକ)

କହନ୍ତି ଗୋପୀ କୁସୁମ ଶରେ ତାପୀ ହୋଇ ଉଦ୍ଧବଙ୍କୁ ବଚନ

କୃପାସିନ୍ଧୁ ହୋଇକରି ଆମ୍ଭଠାରେ କି କଲେ କମଳ ଲୋଚନ।

ଆହେ ଉଦ୍ଧବ।

କି କହିବୁଁ ଆଉ ତାହାଙ୍କୁ

କର୍ମ ଅବଳକୁ ଶଫଳ ନନ୍ଦନ ବିଫଳକୁ ନେଲା ଆମ୍ଭଙ୍କୁ ।୧।

ଖୁଆ ଯେସନେ କ୍ଷୀଣ ମନ୍ଥି ତହିଁରୁ ସ୍ନିଗ୍‌ଧ ବାହାର କରଇ

ଖାଇ ନପାରି ଦାରୁହସ୍ତ ପରାୟେ ପରବଶେ ଭ୍ରମି ମରଇ

ଆହେ ଉଦ୍ଧବ

ଖଳ ସ୍ୱଭାବ ସେହିମତି

ଖାଇବା ପିଇବା ନଥିଲା ସର୍ପର ପରାୟେ ପରାକୁ ନାଶନ୍ତି ।୨।

ଗଳା ମର୍କତ କଣ୍ଠିମାଳା ଆମ୍ଭର ଗଣ୍ଠିଆ ହାତରେ ରହିଲା

ଗୁଆଁରକୁ ଗୁଣବନ୍ତ ଆଶ୍ରେକଲା ପ୍ରାୟେ ସବୁ ସୁଖ ବୁଡ଼ିଲା

ଆହେ ଉଦ୍ଧବ

ଗୁହାରି କରିବୁଁ କାହାକୁ

ଗାଈ ବାରଣ ବାଡ଼ଶସ୍ୟ ଭକ୍ଷିଲେ ଆଉ କେ ରଖିବ ତାହାକୁ ।୩।

ଘେନାଇ ଗଲା ନୃପ କଂସ ଆମ୍ଭର ଗୋପପୁର-ଅବତଂସକୁ

ଘଡ଼ିଏ ନୟନେ ଦେଖି ନ ପାଇଲେ ଅନ୍ଧାର ଯେମନ୍ତ ହଂସକୁ

ଆହେ ଉଦ୍ଧବ

ଘେନିଥିବ ମନେ ସେକଥା

ଘାତ କରଇ ଯେ ଯାହା ସୁଖ ତାହା ସୁଖ ନାଶ ଯାଇ ସର୍ବଥା ।୪।

ନୃପତି ହୋଇ ନୀତିବନ୍ତ ନୋହିଲେ ନିକଟେ ଭେଟଇ କାଳକୁ

ନାବ ନଥିଲେ ତରି ନୋହେ ଯେମନ୍ତ ଅଗାଧ ସମୁଦ୍ର ଜଳକୁ

ଆହେ ଉଦ୍ଧବ

ନିଶ୍ଚେ ଗୁଣି ମୂଳ ସ୍ୱଭାବ

ନବଘନ ଶ୍ୟାମ ନ ଜାଣନ୍ତି କାହାରଭାବେ କି ନ କଲେ ଅଭାବ ।୫।

ଭାବାର୍ଥ– (୧-୫) ଫୁଲ ଶରରେ ଜର୍ଜରିତା ଗୋପୀମାନେ ଉଦ୍ଧବଙ୍କୁ କହିଲେ– ହେ ଉଦ୍ଧବ, କୃପାସିନ୍ଧୁ ହୋଇକରି ଆମ୍ଭମାନଙ୍କ ପ୍ରତି କୃଷ୍ଣ ଏମିତି କ’ଣ ଆଚରଣ କରୁଛନ୍ତି ? ଆମେ ତାଙ୍କୁ କ’ଣ କହିବୁ ? ଆମର କର୍ମ ଦୁର୍ବଳକୁ କୃଷ୍ଣ ଏପରି ଦଶା କରିଛନ୍ତି । କ୍ଷୀରକୁ ମନ୍ଥି ସେଥିରୁ ଯେମିତି ଖୁଆ ବାହାର କରାଯାଏ, ଖଳର ପ୍ରକୃତି ସେମିତି । କିଛି ନଷ୍ଟ କରି ନ ଥିବା ଲୋକଙ୍କୁ ସର୍ପ ନାଶ କରିଥାଏ । ମର୍କତ କଣ୍ଠିମାଳା, ଗଣ୍ଠିଆ ଆମ ହାତରେ ରହିଛି । ମୂର୍ଖକୁ ଗୁଣବନ୍ତ ଲୋକ ଆଶ୍ରା କଲା ପ୍ରାୟ ଆମର ସବୁ ସୁଖ ନଷ୍ଟ ହେଲା । ହେ ଉଦ୍ଧବ, ଆମେ କାହାକୁ ଗୁହାରି କରିବୁ ? ଗାଈ, ହାତୀ, ବାଡ଼ର ଫସଲ ଭକ୍ଷଣ କଲେ ତାକୁ କିଏ ରଖିବ ?

କୃଷ୍ଣ ଆମର ଗୋପପୁରର ମୁକୁଟମଣି । ରାଜା କଂସ ତାଙ୍କୁ କପଟାଚାରଣ କରି ମଥୁରାପରକୁ ନେଇଗଲା । ତାଙ୍କୁ ଘଡ଼ିଏ ନ ଦେଖିଲେ ଆମକୁ ଅନ୍ଧାର ଲାଗୁଛି । ହେ ଉଦ୍ଧବ, ମନ ମଧ୍ୟରେ ଏ କଥାକୁ ରଖିଥିବ; ଯିଏ ଅନ୍ୟର ସୁଖକୁ ନଷ୍ଟ କରିବାକୁ ଚାହିଁଥାଏ, ତା’ ସୁଖକୁ ବିଧାତା ଛଡ଼ାଇ ନେଇଥାଏ । ବିନା ନାବରେ ଅଗାଧ ସମୁଦ୍ର ଜଳକୁ ପାର ହେବା ଯେମିତି କଷ୍ଟ ସାଧ୍ୟ, ସେମିତି ରାଜା ହୋଇ ଯଦି ନୀତିବନ୍ତ ହେଲା ନାହିଁ, ତେବେ ଖୁବ୍‍ ଶୀଘ୍ର କାଳ ତାକୁ ନାଶ କରିବ, ଏହା ନିଶ୍ଚିତ । ହେ ଉଦ୍ଧବ, କୃଷ୍ଣ ମୂଳ ସ୍ୱଭାବକୁ ମନେ ପକାଇ କାହା ସହିତ କି ଭାବ କଲେ ଜାଣିପାରିଲେ ନାହିଁ ।

ଚାଟୂ ବଚନ ସେ ଯେତେକ କହନ୍ତି ଚନ୍ଦ୍ର ଚନ୍ଦନରୁ ଶୀତଳ

ଚିତ୍ତ ଛାର କେତେ ବଶ କରିବାକୁ ପାଷାଣ ହୋଇଯିବ ଜଳ

ଆହେ ଉଦ୍ଧବ

ଚତୁର ପଣ ମହିମାକୁ

ଛାର ପାମରୀ ଆଭାରୀ ନାରୀ ଆମ୍ଭେ ବନଚରୀ ସିନା ଦୁର୍ବୁଦ୍ଧି ।୬।

ଛନ୍ଦ ପ୍ରବନ୍ଧ କଥା ଆମ୍ଭଠାରେ ସେ କିମ୍ପା ନକରିବେ ପ୍ରସିଦ୍ଧି

ଆମେ ଉଦ୍ଧବ

ଛଇଳ ଭ୍ରମର ପୀରତି

ଛାଇ ପରାୟେ କ୍ଷଣକୁ କ୍ଷଣ ଆନ ହୁଅଇ କଉଡ଼ି ପ୍ରାୟେ ମତି ।୭।

ଯେତେ ରୂପେ ଆମ୍ଭେ ଭଜିଲୁଁ ତାହାଙ୍କୁ ଜଗତେ ଜାଣନ୍ତି ସେ କଥା

ଯେତେ ପ୍ରଭୁ ହୋଇ ଅବେଭାର କଲେ କେ ତାହା କରିବ ଅନ୍ୟଥା

ଆହେ ଉଦ୍ଧବ

ଯାହା କରଇ ପ୍ରଭୁପଣ

ଯାଣିଥିବ ତାହା କେହି ନ କରଇ ମହାଦେବଙ୍କ ଠାରୁ ଜାଣ ।୮।

ଝସକେତୁକୁ ନୟନେ ପୋଡ଼ିଦେଇ ଅଙ୍ଗରେ ବହିଲେ ଯୁବତୀ

ଝୀନ ବସ୍ତ୍ର ତେଜି ଦିଗମ୍ବର ହେଲେ ମହାଦେବ ସେ ମହାଯତି

ଆହେ ଉଦ୍ଧବ

ଝାଡ଼ବାସୀ ତ ଆମ୍ଭେ ଛାର

ଝର ପାଣି ପ୍ରାୟେ ବେଭାର ଆମ୍ଭର ସାମନ୍ତେ ହୋଇଲା ଅସାର ।୯।

ନିନ୍ଦିବା ବନ୍ଦିବା କଥାକୁ ଯାହାର ନଥାଇ ମନରେ ବିଚାର

ନ ଘେନଇ ଯେ ହାନିଲାଭ ଆମ୍ଭର ଦୂରୁ ତାହାକୁ ନମସ୍କାର

ଆହେ ଉଦ୍ଧବ

ନ କଲେ ସେ କଉଁ ନିରାଶ

ନ କରିଥିଲୁ ଆମ୍ଭେ କଉଁ ଭରସା ଏବେ ହେଁ ନାହିଁ କଉଁ ଆଶ ।୧୦।

ଭାବାର୍ଥ– (୬-୧୦) ଯିଏ ଯେତେ ଚାଟୂ କଥା କହେ ଯେ, ଚନ୍ଦ୍ରଚନ୍ଦନରୁ ମୁଖ ଅଧିକ ଶୀତଳ, ମନଟା ତ ଛାର, ତାଙ୍କୁ କିପରି ବଶ କରିବ ? ପାଷାଣ ସିନା ଜକ ହୋଇଯିବ, ଏମିତି ହେବ ନାହିଁ । ହେ ଉଦ୍ଧବ, ତାଙ୍କ ଚତୁର ପଣ ମହିମାକୁ ଆମେ ଛାର ଗଉଡ଼ୁଣୀ (ଆଭୀରୀ) ନାରୀ, ବନଚରୀ, ବୁଦ୍ଧିହୀନା । ସେ ଆମଠାରେ ଛନ୍ଦ, କପଟ ବୁଦ୍ଧି କାହିଁକି ନ କରିବେ ? ହେ ଉଦ୍ଧବ, ଛଇଳ ଭ୍ରମରର ପ୍ରୀତି ପରି ତାଙ୍କର ପ୍ରେମ । ଛାଇ ଘଡ଼ିକୁ ଘଡ଼ି ପରିବର୍ତ୍ତନ ହେଲା ଭଳି, ବେଳକୁ ବେଳକୁ କଉଡ଼ି ପଡ଼ିଲା ଭଳି ତାଙ୍କର ମନ । ଯେତେ ପ୍ରକାର ଆମ୍ଭେମାନେ ତାଙ୍କୁ ନିଜର କଲୁ, ସେ କଥା ଜଗତର ଲୋକେ ଭଲ ଭାବେ ଜାଣନ୍ତି । ପ୍ରଭୁ ହୋଇ ଯଦି ସେ ଅବେଭାର କଲେ, ତାକୁ କିଏ ବା ଅନ୍ୟଥା କରିବ ? ହେ ଉଦ୍ଧବ, ଯାହା ପ୍ରଭୁପଣ କରିଥାଏ, ତାହା କେହି କରିବ ନାହିଁ । ତାହା ମହାଦେବଙ୍କ ଘଟଣାରୁ ଜାଣିପାରିବ । ସେ କନ୍ଦର୍ପକୁ ନୟନ ଅଗ୍ନିରେ ପୋଡ଼ି ଶରୀରରେ ଯୁବତୀରତ୍ନକୁ ଧାରଣ କରିଛନ୍ତି । ଝୀନ ବସ୍ତ୍ର ତ୍ୟାଗ କରି ଦିଗମ୍ୱର ହେଲେ । ମହାଦେବ ମହାଯତି ହେଲେ । ଆମେ ତ ଛାର ବନବାସିନୀ, ଝରପାଣି ପରି ଆମର ବେଭାର । ମାଲିକ ଆମ ପାଇଁ ଅସାର ହେଲେ ।

ଅନ୍ୟକୁ ନିନ୍ଦା କରିବା ବା ପ୍ରଶଂସା କରିବା ଯାହାର ମନରେ ବିଚାର ନଥାଏ, ସେ ନିଜ ହାନିଲାଭ କଥା ବୁଝିପାରି ନ ଥାଏ । ଆମେ ତାକୁ ଦୂରରୁ ଜୁହାର କରୁଛୁ । ହେ ଉଦ୍ଧବ, ତୁମ୍ଭେ କୁହ, ଆମକୁ ସେ କ’ଣ ନିରାଶ ନ କରିଛନ୍ତି ? ତାଙ୍କ ଉପରେ ଆମେ କ’ଣ ଭରସା ନ କରିଥିଲୁ ! ଏବେ ମଧ୍ୟ ତାଙ୍କ ଉପରେ ଆମେ କ’ଣ ଆଶା ନ କରିଛୁ ?

ଟଳିଲା ନାହିଁ ମନ ତାଙ୍କ ବାହାରେ ଆନାଠାରେ ଆଉ ଆମ୍ଭର

ଟେକ ତୃଷାର୍ତ୍ତ ଚାତକ ଯେହ୍ନେ ଗ୍ରହପାଇଁ ରସିଲା ଜଳଧରି

ଆହେ ଉଦ୍ଧବ

ଟିକିଏ ସେ ଦୟା ନକଲେ

ଟେକରେ ଥୋଇ ଟୋପରେ ପକାଇଲା ପ୍ରାୟେ ଆମ୍ଭଙ୍କୁ ନାଶ କଲେ ।୧୧।

ଠାକୁରବର ବୋଲି ବଡ଼ ଭରସା କରିଥିଲୁ ଆମ୍ଭେ ତାହାଙ୍କୁ

ଠକ ବେଭାର ଦେଖିଲା ଦିନୁ ସିନା ଚମକି ଉଠୁଅଛି ବୁକୁ।

ଆହେ ଉଦ୍ଧବ

ଠାବ ନକଲୁ ତାଙ୍କ ଚିତ୍ତ

ଠିକେ ସାତସ୍ୱର ରାଗ ଜନମିଲା ପ୍ରାୟେ ତା ମାୟା ଅପ୍ରମିତ ।୧୨।

ଡକା କରିବା ଡରିବାରୁ ରଖିବା ପଡ଼ିବା ଗଢ଼ିବା ଭାଙ୍ଗିବା

ଡିମ୍ବ ପ୍ରତିପାଳି ପରାୟେ ମାରିବା କଥା ତାରତମ କରିବା

ଆହେ ଉଦ୍ଧବ

ଡୋଳେ ତ ସବୁ ଦେଖୁଅଛ

ଡାକି କହିବଟି କପଟ ନକରି କେ ଆଗେ କଉଁ କଥା ପଛ ।୧୩।

ଢାଳେ ନୋହିବା କଥା ବଡ଼ ସୁଲଭ ହୋଇ ନୋହିବା ବଡ଼ ଦୁଃଖ

ଢମ କହୁ ନାହୁଁ ସମସ୍ତ କଥାକୁ କାରଣ ତାଙ୍କ ପଦ୍ମମୁଖ

ଆହେ ଉଦ୍ଧବ

ଦେଇ ଯେହ୍ନେ ମୃଗତୃଷ୍ଣାରେ

ଢଳୁଅଛି ମନ ହୋଇ ଛନ ଛନ ଏବେ ତାହାଙ୍କର ଆଶାରେ ।୧୪।

ଆଶ୍ରେ କରି ବଡ଼ ଲୋକଙ୍କୁ ଅଦୃଷ୍ଟ ଆଦରି ଯେତେ ଦୁଃଖ ପାଇ।

ଏମନ୍ତ ହେଲେ ଅଗମ୍ୟ ବନସ୍ତରେ ପଶି କିମ୍ପା ବୁଲୁ ନଥାଇ।

ଆହେ ଉଦ୍ଧବ

ଆମ୍ଭର କର୍ମ ଥାନ୍ତା ଯଦି

ଏମନ୍ତ କିମ୍ପା ହୁଅନ୍ତା ସତ୍ୟ ସତ୍ୟ କିମ୍ପା ନୁହନ୍ତେ ସତ୍ୟବାଦୀ ।୧୫।

ଭାବାର୍ଥ– (୧୧-୧୫) ହେ ଉଦ୍ଧବ, ତାଙ୍କ ମନ ଆମ୍ଭ ଛଡ଼ା ଅନ୍ୟ କାହାରି ଠାରେ କିମ୍ବା ଆମ୍ଭ ମନ ଅନ୍ୟଠାରେ ଟଳିଲା ନାହିଁ । ତୃଷ୍ଣାର୍ତ୍ତ ଚାତକ ମେଘକୁ ଚାହିଁଲା ଭଳି ଆମେ ତାଙ୍କୁ ଚାହିଁରହିଛୁ । ସେ ସାମାନ୍ୟ ଦୟା କଲେ ନାହିଁ । ଆମ୍ଭମାନଙ୍କୁ ଉପରକୁ ଟେକି ଗାତରେ ପକାଇ ଯେମିତି ନାଶ କରୁଛନ୍ତି । ତାଙ୍କୁ ଆମେ ଠାକୁରଶ୍ରେଷ୍ଠ ବୋଲି ବଡ଼ ଭରସା କରିଥିଲୁ । ସେ କିନ୍ତୁ ବଡ଼ ଠକ । ତାଙ୍କର ଏ ବେଭାର ଜାଣିବା ଦିନରୁ ଆମ ଛାତି ଚମକିଯାଉଛି । ହେ ଉଦ୍ଧବ, ତାଙ୍କ ମନକୁ ଜାଣିପାରୁନାହୁଁ । ସାତ ସୂରରୁ ରାଗ ଜନ୍ମିଲା ପରି ତାଙ୍କ ମାୟା ଅପାର । ରଖିବା, ଗଢ଼ିବା, ଭାଙ୍ଗିବା ଡିମ୍ବକୁ ରଖି ଛୁଆ ଜନ୍ମ ବେଳକୁ ତାକୁ ନଷ୍ଟ କରିବା ପରି ସବୁ କଥା ତାଙ୍କର । ତାହା ତ ତୁମେ ନିଜ ଆଖିରେ ଦେଖୁଛ । ତାଙ୍କୁ ଡାକି କପଟ ନ ରଖି କହିବଟି, କିଏ ଆଗ, ଆଉ କେଉଁ କଥା ପଛ ।

ହେ ଉଦ୍ଧବ, ନ ହେବା କଥା ବଡ଼ ସୁଲଭ । ଅପର ପକ୍ଷରେ ହୋଇ ନ ଥିବା ବଡ଼ ଦୁଃଖ-। ଗର୍ବ କରି କହୁନାହୁଁ, ସମସ୍ତ ଘଟଣାର ମୁଖ୍ୟ କାରଣ ହେଉଛି ତାଙ୍କର ପଦ୍ମମୁଖ । ସେ ମୃଗତୃଷ୍ଣା ଆମକୁ ଯେମିତି ଦେଖାଇଲେ । ତାଙ୍କର ଆଶାରେ ମନ ଛନ୍ନ ଛନ୍ନ ହେଉଛି । ବଡ଼ ଲୋକଙ୍କୁ ଆଶ୍ରା କରି, ଅଦୃଷ୍ଟ ବଳରୁ ଯେତେ ଦୁଃଖ ପାଇଲେ ଅଗମ୍ୟ ବନରେ ପଶି କିମ୍ପା ବୁଲିବୁନି-? ହେ ଉଦ୍ଧବ, ଆମର ଯଦି କର୍ମରେ ଥାଆନ୍ତା, ଏମିତି କାହିଁକି ହୁଅନ୍ତା ? ସତ୍ୟ କଥା କହି ସେ କାହିଁକି ସତ୍ୟବାଦୀ ନ ହେବେ ?

ତାରିବା ଲୋକ ମାରିବାକୁ ବସିଲେ ତହିଁକି ଅଛି କି ଉପାୟେ

ତଥାପି ତର୍କି ପାରିଲେ ତରି ପାରି ଆମ୍ଭେ ତ ବନ ପଶୁପ୍ରାୟେ ।

ଆହେ ଉଦ୍ଧବ

ସ୍ତିରୀ ମାରଣେ ସେ ଦାରୁଣ

ତୋଟି ଟିପିବା ତାଳୁ ଫୋଡ଼ି ମାରିବା ତା ତହୁଁ ହେଲା ଭିଆଣ ।୧୬।

ଥାନ ବିଶେଷେ ସ୍ୱାତୀ ଜଳ ପ୍ରାୟେ ଗୁଣ ହିଁ କରନ୍ତି ଅପାର ।

ଥିଲା ନାହିଁ ମନେ କୁବୁଜାକୁ ଦେଖି କଲେ ସୁନ୍ଦରୀ ଅଳଙ୍କାର

ଆହେ ଉଦ୍ଧବ

ଥାଇ ଯାହାକୁ ଯଇଁ ଯୋଗ

ଥାଣୁ ଶିରକୁ ଚନ୍ଦ୍ରମା ଗଲା ପ୍ରାୟେ ତାହା ଇଚ୍ଛୟେ ହୋଏ ଭୋଗ ।୧୭।

ଯାହା ସମ୍ମୁଖେ ଅମୃତ ଦେଲା ପ୍ରାୟେ ଉଠୁଅଛି ଯଉଁ ସନ୍ତାପ

ଦୁଃଖକର ତାହା କହିଲେ କି ହେବ କରିଛୁ ଆମ୍ଭେ ମହାପାପ

ଆହେ ଉଦ୍ଧବ

ଦଇବର ସବୁ ଘଟନା

ଦୀନବନ୍ଧୁ ହୋଇ ଦୁଃଖକାଳେ ପ୍ରଭୁ ଦିନେ ନୋହିଲେ ଆସି ସେହ୍ନା ।୧୮।

ଧର୍ମ ପୁରୁଷ ସେ ଅଧର୍ମ କରିବା ନୁହଇଁ ତାହାଙ୍କ ବେଭାର

ଧାର୍ମିକ ବିବେକ ରସିକବର ସେ ସମସ୍ତ ଗୁଣର ଆଧାର

ଆହେ ଉଦ୍ଧବ

ଧଉର୍ଯ୍ୟ ନିଧିକି କହିବ

ଧ୍ରୁବ ବଚନ ଯେ ଅଧ୍ରୁବ ହେଉଛି ଧରଣୀ କେମନ୍ତେ ରହିବ ।୧୯।

ନୟନ ମନ ନ ଛାଡ଼ିଲା ତାହାଙ୍କୁ ଏହି କଥା ହେଲା ପ୍ରମାଦ

ନଗଲା ଅନାଥ କଲେ ହେଁ କେବେ ହେଁ ଶ୍ରୀଗୋପୀନାଥ ଅପବାଦ

ଆହେ ଉଦ୍ଧବ

ନିଅଇ ମଧୁ ପୁଷ୍ପକର

ନିଷ୍ଫଳ ଭାଗ୍ୟବଶରୁଁ ଭୃଙ୍ଗ ଦେଖ ନାମ ବୋଲାଇ ମଧୁକର ।୨୦।

 

ଭାବାର୍ଥ– (୧୬-୨୦) ହେ ଉଦ୍ଧବ, ତ୍ରାଣକର୍ତ୍ତା ଯଦି ମାରିବାକୁ ବସିବ, ସେଥିପାଇଁ କି ଉପାୟ ଅଛି ? ତଥାପି ତର୍କି ପାରିଲେ ଆମ୍ଭେ ବନ୍ୟ ପଶୁ ପରି ତରି ପାରିବା । ସ୍ତ୍ରୀ ମାରିବାରେ ସେ ପାରଙ୍ଗମ । ତୋଟି ଚିପିବା, ତାଳୁ ଫୋଡ଼ି ମାରିବା କାର୍ଯ୍ୟ ଯେ ଆରମ୍ଭ କରିଛନ୍ତି । ସ୍ଥଳ ବିଶେଷରେ କିନ୍ତୁ ସ୍ୱାତୀ ଜଳ ପରି ଅନେକ ମହିମା ବି ବିସ୍ତାର କରିଛନ୍ତି । ମନରେ ହେଜ, କୁବୁଜାଜୁ ଦେଖି ସୁନ୍ଦରୀ କରିଦେଲେ । ଥାଣୁ (ସ୍ଥାଣୁ) ଶିବଙ୍କ ମସ୍ତକକୁ ଚନ୍ଦ୍ର ଗଲା ପରି ଯାହାକୁ ଯାହା ଯୋଗ ଥିବ ନିଶ୍ଚୟ ଘଟିବ । ମନରେ ଯେଉଁ ସନ୍ତାପ ଆସୁଛି, ଯାହା ଦୁଃଖ ହେଉଛି, ତାକୁ ଅନ୍ୟ ଆଗରେ କହିଲେ କ’ଣ ହେବ ? ଆମେ ତ ମହାପାପ କରିଛୁ ? ହେ ଉଦ୍ଧବ, ସବୁ ଦଇବର ଭିଆଣ । ଦୀନବନ୍ଧୁ ହୋଇ ଦୁଃଖ ସମୟରେ ପ୍ରଭୁ ଦିନେ ମଧ୍ୟ ଆସି ସହାୟ ହେଲେ ନାହିଁ ।

 

ତାଙ୍କ ଭଳି ଧର୍ମ ପୁରୁଷ ଏଭଳି ଅଧର୍ମ କାର୍ଯ୍ୟ କରିବା ଉଚିତ ହେଲା ନାହିଁ । ସେ ଧାର୍ମିକ ପୁରୁଷ, ବିବେକୀ, ରସିକବର, ସମସ୍ତ ଗୁଣର ଆଧାର । ହେ ଉଦ୍ଧବ, ଧୈର୍ଯ୍ୟନିଧି ସେ, ତାଙ୍କୁ କହିବ, ତାଙ୍କର ଧ୍ରୁବ କଥା ସବୁ ଅଧ୍ରୁବ (ଅସତ୍ୟ) ହେଉଛି । ଏହାକୁ ପୃଥିବୀ କିପରି ସହିବ-? ଆମ୍ଭମାନଙ୍କର ମନ, ନୟନ ତାଙ୍କୁ ଛାଡ଼ିପାରୁନାହିଁ । ଏହି କଥା ହିଁ ଆମ୍ଭମାନଙ୍କ ପାଇଁ ପ୍ରମାଦ ହୋଇଛି । ସେ ଆମକୁ ଅନାଥ କରି ଚାଲିଗଲେ । ତାଙ୍କ ପାଇଁ ଆମେ ଯେଉଁ ଅପବାଦ ପାଇଛୁ, ତାହା କେବେ ହେଲେ ଗଲା ନାହିଁ । ଦେଖ, ଫୁଲରୁ ମଧୁ ନେଇ ନିଷ୍ଫଳ ଭାଗ୍ୟବଶରୁ ଭୃଙ୍ଗ ବା ଭ୍ରମର ମଧୁକର ନାମ ବୋଲାଉଛି ।

 

ପରମ ଆନନ୍ଦ ହରିଲେ ଆମ୍ଭର ପରମାନନ୍ଦ ନାମ ବହି

ପ୍ରୀତିଠାରେ ନିକି ଅବେଭାର କଲେ ପ୍ରଭୁମାନଙ୍କ ରୀତି ଏହି ।

ଆହେ ଉଦ୍ଧବ

ପଚାରିବଟି ବାରେ ଯାଇଁ

ପରମ ଅମୃତ କୁଣ୍ଡେ ବୁଡ଼ିମଲେ ମରିବାର ସେ କି ନୁହଁଇ ।୨୧।

ଫୁଲ୍ଲାରବିନ୍ଦ ବଦନ ଫେଡ଼ିକରି କହିଗଲେ ଯାହା ଶ୍ରୀମୁଖେ

ଫନ୍ଦା କରି ସେହି କଥାମାନ ଗୋପୀ ଦିନ ବଞ୍ଚୁଛୁ ନାନା ଦୁଃଖେ ।

ଆହେ ଉଦ୍ଧବ

ଫୁଲଶର ନେଲା ଫୁରୁଣା

ଫୁଲ ଚୁମ୍ବିଗଲା ଭ୍ରମର ପରାୟେ ଦିନେ ହେଁ ନକଲେ କରୁଣା ।୨୨।

ବୋଲନ୍ତି ୟେ ବଡ଼ ବଡ଼ମାନଙ୍କର ବଡ଼ ବିଚାର ବଡ଼ ବୁଦ୍ଧି

ବୋଇଲା ବଚନ ବିଅର୍ଥ ନକରି ବିଶେଷେ କରନ୍ତି ପ୍ରସିଦ୍ଧ ।

ଆହେ ଉଦ୍ଧବ

ବେଳେ ହେଁ ତାହା ନ ରଖିଲେ

ବଶ ହୋଇ କୁବୁଜାଙ୍କ ପ୍ରେମ ରସେ ଏହି କଥା ନିକି ଶିଖିଲେ ।୨୩।

ଭାବଗ୍ରାହୀ ଭାବ ଗ୍ରହଣ କରିବା ଭ୍ରମର କୁସୁମ ଚୁମ୍ବିବା

ଭଲ ମନ୍ଦ ପାତ୍ରେ ବିଚାରନ୍ତି ନାହିଁ ଭାଗ୍ୟ କି ନକରଇ ଅବା ।

ଆହେ ଉଦ୍ଧବ

ଭାବେ ଯେ ଅଭାବ କରିବା

ଭଲ ନୁହଁଇ ସେ ଭଲ ଲୋକଙ୍କର ଭ୍ରମର ସ୍ୱଭାବ ଧରିବା ।୨୪।

ମହତ ଲୋକଙ୍କୁ ଆଶ୍ରେ କରିବାର ପୋତ ବାଣିଜ୍ୟ ପ୍ରାୟେ ଜାଣ

ମହା ସାହସ ମହା ଆଶ ସକାଶୁଁ ମୁହୂର୍ତ୍ତକେ ଯାଇ ପରାଣ ।

ଆହେ ଉଦ୍ଧବ

ମହତହୀନ ଲୋକେ ପ୍ରୀତି

ମହାନଦୀ ପ୍ରାୟେ ବଢ଼ିବା ଅଧିକା ସେହି କି ନୋହଇ ଅନୀତି ।୨୫।

ଭାବାର୍ଥ– (୨୧-୨୫) ହେ ଉଦ୍ଧବ, କୃଷ୍ଣ ପରମାନନ୍ଦ ନାମକୁ ଧରି ଆମ୍ଭର ପରମ ଆନନ୍ଦକୁ ହରଣ କରି ନେଲେ । ପ୍ରୀତି ପ୍ରତି ଅବେଭାର କଲେ । ପ୍ରଭୁଙ୍କର ଏହି ରୀତି କ’ଣ ଠିକ୍ ହେଲା ? ଏହି କଥା ତାଙ୍କୁ ନିଶ୍ଚୟ ପଚାରିବ । ପରମ ଅମୃତକୁଣ୍ଡରେ ବୁଡ଼ିମଲେ କ’ଣ ତାହା ମରିବା ସହିତ ସମାନ ନୁହେଁ କି ? ଫୁଲ୍ଲାର ବିନ୍ଦ ବଦନ (ପଦ୍ମମୁଖ) ଶ୍ରୀକୃଷ୍ଣ ଯେଉଁ କଥା କହିଗଲେ, ସେହି କଥାକୁ ହୃଦୟରେ ଧରି ଗୋପୀମାନେ ନାନାପ୍ରକାର ଦୁଃଖରେ ଦିନ କାଟୁଛନ୍ତି । ହେ ଉଦ୍ଧବ, ଫୁଲଶର ଆମର ସମସ୍ତ ଆନନ୍ଦ (ଫୁରୁଣା) ଛଡ଼ାଇ ନେଇଛି । ଫୁଲକୁ ଚୁମ୍ବି ଭ୍ରମର ଚାଲିଗଲା ପରି ସେ ଆମକୁ ଛାଡ଼ି ଚାଲିଗଲେ । ଦିନେ ମଧ୍ୟ ଆମକୁ ଦୟା କଲେ ନାହିଁ । ଲୋକମାନେ କହନ୍ତି- ବଡ଼ ଲୋକଙ୍କର ବଡ଼ ବିଚାର, ବଡ଼ ବୁଦ୍ଧି । ସେମାନେ କହିଥିବା କଥାକୁ ବିଅର୍ଥ ନ କରି ବଡ଼ କରିଥା’ନ୍ତି; କିନ୍ତୁ ହେ ଉଦ୍ଧବ, ଠିକ୍ ସମୟରେ କୃଷ୍ଣ ତାକୁ ରଖିଲେ ନାହିଁ । କୁବୁଜାର ପ୍ରେମରେ ବଶ ହୋଇ ଏହି କଥା କ’ଣ ଶିଖିଲେ ?

ହେ ଉଦ୍ଧବ, ଭାବଗ୍ରାହୀ ହୋଇ ଭାବ ଗ୍ରହଣ କରିବା, ଭ୍ରମର କୁସୁମ ଚୁମ୍ବିବା ଧର୍ମକୁ ଯଦି ସେମାନେ ଛାଡ଼ିଦେବେ ତେବେ କାହାକୁ କହିବା ? ଜଣେ ଯଦି ଭଲ ମନ୍ଦ କ’ଣ ବିଚାର କରିବ ନାହିଁ, ତାହାକୁ କ’ଣ କହିବା ? ଭାଗ୍ୟ ବା କ’ଣ ନ କରେ ? ଭାବରେ ଥାଇ ଅଭାବ କର୍ଯ୍ୟ କରିବା, ଭ୍ରମର ସ୍ୱଭାବ ଧରିବା ଭଲ ଲୋକଙ୍କ ପକ୍ଷରେ ଭଲ କାର୍ଯ୍ୟ ନୁହେଁ ।

ହେ ଉଦ୍ଧବ, ଏହା ଜାଣ ଯେ ମହତ୍ ଲୋକଙ୍କୁ ଆଶ୍ରା କରିବା ବୋଇତ ବାଣିଜ୍ୟ ସହିତ ସମାନ । ମହା ସାହସ, ମହାଆଶା କରିବା ସର୍ବଦା ବିପଦ । ମୁହୂର୍ତ୍ତକ ମଧ୍ୟରେ ଜୀବନ ଚାଲିଯିବ । ମହତହୀନ ଲୋକଙ୍କ ପ୍ରେମ ବଡ଼ନଦୀରେ ବଢ଼ି ବଢ଼ିବା ସହିତ ସମାନ । ଏହା ଅନୀତି ନୁହେଁ କି ?

ଯେମନ୍ତେ ପୂର୍ବେ କପିଳ କୋପାନଳେ ଦହିଲେ ସଗର-ତନୟେ

ଜଳୁଛି ନିରତେ ସେହି ପରକାରେ କାମ ଅନଳେ ଆମ୍ଭ କାୟେ ।

ଆହେ ଉଦ୍ଧବ।

ଯଉଁ ପ୍ରତିକାର ତହିଁକି

ଜଗତ ଅଧୀନ ଆମ୍ଭ ପ୍ରାଣଧନ ଦେବ କୃଷ୍ଣ-ଭଗୀରଥୀ କି ।୨୬।

ରହିଥିବା କୀର୍ତ୍ତି କ୍ଷିତିତଳେ ପ୍ରୀତି ବିରହ ହୋଇ ଗୋପୀ ମଲେ

ରାଜୀବଲୋଚନ ଘନଶ୍ୟାମ କାମ-ହାଥରେ ତାଙ୍କୁ ଅଗ୍ନି ଦେଲେ

ଆହେ ଉଦ୍ଧବ

ରତିର ପ୍ରତିଫଳ ଏହି

ରାତ୍ରି ଦିବସ ରସି ତାଙ୍କ ରସରେ କାମ ଅନଳେ ହେଲୁଁ ଦହି ।୨୭।

ଲେ।କ ମଧ୍ୟରେ ଦେଖିଲା ନାହିଁ ନେତ୍ର ଶ୍ରବଣମଣ୍ଡନ ପ୍ରୀତିକି

ଲେଶେ ଅଙ୍ଗରୁ ଅନ୍ତର ନକରନ୍ତି ସ୍ନେହ ଭାବରୁ ପାର୍ବତୀଙ୍କି

ଆହେ ଉଦ୍ଧବ

ଲଲାଟ ଲେଖନ ପ୍ରମାଣ

ଲୋକକରି ରତ୍ନାକରେ ବୁଡ଼ିଗଲେ ରତ୍ନ କି ଲଭୁଥାଇଁ ପୁଣ ।୨୮।

ବାଇ ପ୍ରାୟେ ହୋଇ ବହୁତ କହିଲେ ତହିଁରୁ କି ହେବ କାରଣ

ବଡ଼ ବଡ଼ଙ୍କୁ ବୋଧ କରି ନୁହଁଇ ବିବେକ ନ ଥିଲେ ପ୍ରମାଣ ।

ଆହେ ଉଦ୍ଧବ

ବିବେକବର ହୋଇ ହରି

ବଡ଼ ଅବେଭାର ଏହିଠାରେ କଲେ କୁବୁଜା ସଙ୍ଗେ ପ୍ରୀତି କରି ।୨୯।

ସବୁହିଁ ସୁନ୍ଦର ପ୍ରଭୁପଣ ଥିଲେ ଜଗତେ ଯେତେ ଅସୁନ୍ଦର

ସର୍ପ ଶୟନ ହରି ହର ଉଲଗ୍ନ ହେଲେ କିଛି ନାହିଁ ବିଚାର ।

ଆହେ ଉଦ୍ଧବ

ଶୁକଳେ କଳା ଥିଲା ପ୍ରାୟେ

ସାନ ହୋଇ ବଡ଼ ଲୋକେ ଅବେଭାର ଦିଶେ ବହୁତ ଦୂର ପ୍ରାୟେ ।୩୦।

ଭାବାର୍ଥ– (୨୬-୩୦) ହେ ଉଦ୍ଧବ, ପୂର୍ବେ ଯେମିତି କପିଳ ମୁନିଙ୍କ କୋପାନଳରେ ସଗର ରାଜାଙ୍କ ପୁତ୍ରମାନଙ୍କର ମୃତ୍ୟୁ ହୋଇଥିଲା, ସେମିତି ଆମ ହୃଦୟ ନିରନ୍ତର କାମାନଳରେ ଜଳୁଛି । ଯାହାର ପ୍ରତିକାର ଯହିଁକି ରହିଛି । ଆମର ପ୍ରାଣଧନ, ଶ୍ରୀକୃଷ୍ଣ, ଜଗତ ତାଙ୍କର ଅଧୀନ, କୃଷ୍ଣ ଭଗୀରଥ ହୋଇ ଆମକୁ ମୁକ୍ତି ଦେବେ କି ? ହେ ଉଦ୍ଧବ, ପ୍ରେମ ବିରହାନଳରେ ଜଳି ଗୋପୀମାନେ ମଲେ, କୃଷ୍ଣଙ୍କର ଯେଉଁ କୀର୍ତ୍ତ ମହୀମଣ୍ଡଳରେ ଅଛି, ତାହା ନଷ୍ଟ ହେବ । ଘନଶ୍ୟାମଙ୍କ ପ୍ରେମରେ ପଡ଼ି ଆମେ ଜଳି ପୋଡ଼ି ମରୁଛୁ । ଏହା ରତିର ପ୍ରତିଫଳ । କୃଷ୍ଣଙ୍କ ରସରେ ଆମେ ଦିନରାତି ରସି କାମାନଳରେ ଦହି ହେଉଛୁ । ଜଗତ ମଧ୍ୟରେ ତାଙ୍କର ପ୍ରୀତି ଭାବକୁ ଏ ଚକ୍ଷୁ ଦେଖିଲା ନାହିଁ କି କର୍ଣ୍ଣ ଶୁଣିଲା ନାହିଁ । ସ୍ନେହ ଭାବରେ ମହାଦେବ କ୍ଷଣିକ ପାଇଁ ମଧ୍ୟ ନିଜ ଶରୀରରୁ ପାର୍ବତୀଙ୍କୁ ଅନ୍ତର କରନ୍ତି ନାହିଁ । ଲଲାଟରେ ଯାହା ଲେଖାଅଛି, ତାକୁ ନିଶ୍ଚିତ ଭାବେ ଭୋଗିବାକୁ ପଡ଼ିବ । ଲୋଭରେ ପଡ଼ି, ସମୁଦ୍ର ମଧ୍ୟରେ ବୁଡ଼ିଗଲେ କ’ଣ ବାରମ୍ବାର ରତ୍ନ ମିଳିବ ? ହେ ଉଦ୍ଧବ, କାୟା ପରି ହୋଇ ଅନେକ କହିଲେ, ତାର କ’ଣ ମୂଲ୍ୟ ଅଛି ? ବିବେକ ଯଦି ନାହିଁ, ତେବେ ବଡ଼ ବଡ଼ିଆ ବୋଲି ଯେତେ ବୋଧ କଲେ ତାହା ଅକାରଣ ହେବ । ହେ ଉଦ୍ଧବ, କୃଷ୍ଣ ବିବେକବାନ ହୋଇ ଏହିଠାରେ କୁବୁଜା ସଙ୍ଗେ ପ୍ରୀତି କରି ବଡ଼ ଅବେଭାର କଲେ ।

ହେ ଉଦ୍ଧବ, ପ୍ରଭୁ ପଣିଆ ପାଖରେ ଥିଲେ, ଜଗତରେ ଯେତେ ଅସୁନ୍ଦର ହେଲେ ମଧ୍ୟ ବଡ଼ ସୁନ୍ଦର ଦେଖାଯିବ । ହରି ସର୍ପ ଶୟନ କଲେ, ହର ଉଲଗ୍ନ ହେଲେ– ଏ କଥାକୁ କେହି କାହିଁ ଅସୁନ୍ଦର କହୁନାହାନ୍ତି ? ଧଳା ମଧ୍ୟରେ କଳା ଥିଲା ପରି ସାନ ଲୋକଙ୍କୁ ବଡ଼ ଲୋକର ଦୋଷ ବହୁତ ଦୂର ପରି ଦେଖାଯାଉଛି ।

ସେମାନ କରିବାରୁ ମାନହାନି ସେ କଉଁ ଲାଭ ତହୁଁ ଆମ୍ଭର

ସହଜେ ଆରଦ୍ର ବଣିଜ ଲୋକର ବୋହିତ ଚିନ୍ତା ଅବେଭାର ।

ଆହେ ଉଦ୍ଧବ

ସବୁରୂପେ ଆମ୍ଭେ ଅସାର

ସୁତ ପତି ଛାଡ଼ି ଶରଣ ପଶିବା ଦୋଷ ନ ଧରିବା ଶ୍ରୀଧର ।୩୧।

ଶେଷର ହିତେ ଦଣ୍ଡବତ ଆମ୍ଭର କହିବ ସେ ପ୍ରୀତିହରଙ୍କୁ

ସଙ୍ଖୁଳିଲେ ବୋଲି କହିବ ଆମ୍ଭର କୁବୁଜା-ନାଗରୀ ବରଙ୍କୁ ।

ଆହେ ଉଦ୍ଧବ

ସେ ସିନା କରୁଛନ୍ତି ପର

ସହସ୍ରେ ଅଂଶରୁ ଅଂଶେ ତ ଆମ୍ଭର ତାଙ୍କଠାରେ ନାହିଁ ଅନ୍ତର ।୩୨।

ହାତଧରି ଆମ୍ଭେ କହୁଛୁ ତୁମ୍ଭଙ୍କୁ ଏତେକ କହିବ ତାହାଙ୍କୁ

ହତ ଆଦର କଲା ପ୍ରାୟେ ଆମ୍ଭଙ୍କୁ ଆଉ ନ କରିବେ କାହାକୁ ।

ଆହେ ଉଦ୍ଧବ

ହସ କଉତୁକ ବେଳରେ

ହରଷ ହୋଇ ଅଣାଇବ କରୁଣା ଥିଲେ ହୃଦୟ କମଳରେ ।୩୩।

କ୍ଷୁଧା ନଥିଲେ ଅମୃତ ନ ରୁଚଇ କ୍ଷୁଧାରେ ସମସ୍ତ ମଧୁର

କ୍ଷମା ସାଗର ନାଗରବର କ୍ଷୁଧା ହୋଇ ସେ ଅଛନ୍ତି ଆମ୍ଭର ।

ଆହେ ଉଦ୍ଧବ

କ୍ଷମେ ଯାଇ ବେଗେ ଜଣାଅ ।

କ୍ଷୀଣମତି ଦୀନକୃଷ୍ଣ ବୋଲେ କ୍ଷୋଭ ଛଡ଼ାଇବା କଥା ଶୁଣାଅ ।୩୪।

ଭାବାର୍ଥ– (୩୧-୩୪) ହେ ଉଦ୍ଧବ, ସେ ମାନ କରିବାରୁ ମାନହାନି ହେଲା । ଆମର ଲାଭ କ’ଣ ହେଲା ? ସହଜରେ ଆରଦ୍ର (ହରିଦ୍ରା) ବାଣିଜ୍ୟ ଲୋକର ବୋଇତ (ବୋହିତ) ଚିନ୍ତା ଅବେଭାର । ସବୁ ରୂପରେ ଆମ୍ଭେ ଅସାର ଅଟୁ । ସ୍ୱାମୀ, ପୁଅ ଛାଡ଼ି କୃଷ୍ଣପାଖରେ ଶରଣ ପଶିବା-। ତାଙ୍କର ଦୋଷ ଧରିବା ନାହିଁ । ହେ ଉଦ୍ଧବ, କୃଷ୍ଣଙ୍କୁ ଆମର ଦଣ୍ଡବତ ଜଣାଇବ, କୁବୁଜା ନାଗରୀ ବରଙ୍କୁ ଆମେ ସଙ୍ଖୁଳୁଛୁ ବୋଲି କହିବ । ସେ ସିନା ଆମକୁ ପର କରୁଛନ୍ତି, ସହସ୍ର ଅଂଶରୁ ତ ପୁଣି ଆମେ ଏକ ଅଂଶ । ସେ ଓ ଆମ ମଧ୍ୟରେ କୌଣସି ଅନ୍ତର ନାହିଁ । (ଭଗବାନଙ୍କ ସହସ୍ର ରୂପ ଓ ତାଙ୍କର ସହସ୍ର ନମ ମଧ୍ୟରୁ ଗୋପୀଙ୍କର ଗୋଟିଏ ରୂପ ଓ ନାମ ।)

ହେ ଉଦ୍ଧବ, ତୁମ ହାତ ଧରି ଆମେ କହୁଛୁ, କୃଷ୍ଣଙ୍କୁ ଏତକ କହିବ ଯେ, ଆମକୁ ଯେମିତି ସେ ହତାଦର କରୁଛନ୍ତି, ସେମିତି କାହାକୁ ଆଉ କରିବେନି । ହସ କଉତୁକ ବେଳରେ ଆନନ୍ଦ ମନରେ ତାଙ୍କୁ ଅଣାଇବ । ତାଙ୍କ ହୃଦକମଳରେ ଦୟାଭାବ ଥିଲେ ଆମେ ତରିଯିବୁ । କ୍ଷୁଧା ଯଦି ନ ଲାଗୁଥିବ, ତେବେ ଅମୃତ ମଧ୍ୟ ରୁଚିବ ନାହିଁ । କ୍ଷୁଧା ଯଦି ଅଛି, ସବୁ ପଦାର୍ଥ ସ୍ୱାଦୁ ଲାଗିବ-। କ୍ଷମା ସାଗର, ନାଗର ବର କୃଷ୍ଣ ଆମର କ୍ଷୁଧା ହୋଇଛନ୍ତି । ହେ ଉଦ୍ଧବ, ତାଙ୍କୁ ଶୀଘ୍ର ଏହା ଜଣାଅ, କ୍ଷୋଭ ଛଡ଼ାଇବା କଥା ଆମକୁ ଶୁଣାଅ । କ୍ଷୀଣମତି ଦୀନକୃଷ୍ଣ ଏହା କହିଲେ ।

Image